ଦିନେ ଦୁଇଦିନ କି ମାସେ ନୁହେଁ, ପୁରା ୧୦ ବର୍ଷ । ଗୋଟିଏ କୋଠରୀରେ ସ୍ବେଚ୍ଛା ନିର୍ବାଚନରେ ଥିଲେ ୩ ଭାଇ ଭଉଣୀ । ବାହାରୁ ଦିଆଯାଉଥିଲା ଖାଦ୍ୟ । ସେହି ଖାଦ୍ୟ ଖାଇ ଘର ଭିତରେ ରହିଥିଲେ । ସେଇଠି ଖାଉଥିଲେ, ସେଇଠି ଶୋଉଥିଲେ, ସେଇଠି ମଳତ୍ୟାଗ କରୁଥିଲେ । ୧୦ ବର୍ଷ ଧରି ଘରୁ ବାହାରି ନ ଥିଲେ । ବାପା ଯେତେ କହିଲେ ମଧ୍ୟ ଶୁଣୁ ନ ଥିଲେ । ସେମାନେ ବି ପିଲା ନ ଥିଲେ । ବୟସ୍କ ଥିଲେ ଓ ଉଚ୍ଚ ଶିକ୍ଷା ମଧ୍ୟ ଲାଭ କରିଥିଲେ । ଶେଷରେ ତାଙ୍କ ବାପା ଏକ ସ୍ବେଚ୍ଛାସେବୀ ସଙ୍ଗଠନର ସହାୟତା ନେଇ ସେମାନଙ୍କୁ ବାହାରକୁ କାଢ଼ିବାକୁ ସକ୍ଷମ ହୋଇଛନ୍ତି । ଏହି ଘଟଣା ଗୁଜରାଟର ରାଜକୋଟ ଅଞ୍ଚଳରେ ଘଟିଛି । ସେମାନଙ୍କ ପିତା ଭୟ କରୁଥିଲେ ଯେ ଏହି ତିନୋଟି ଉପରେ କଳା ଯାଦୁ କରାଯାଇଛି।
ଘରୁ ସେମାନଙ୍କୁ ବାହାର କରିବା ପରେ ସେମାନଙ୍କୁ ପରିଷ୍କାର ପରିଛନ୍ନ କରାଯାଇଛି । ନୂଆ କପଡ଼ା ପିନ୍ଧିବାକୁ ଦିଆଯାଇଛି । ବାଳ କାଟି ଲଣ୍ଡା କରାଯାଇଛି ଏବଂ କାଉନସେଲିଂ ଆରମ୍ଭ ହୋଇଛି ବୋଲି ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଜଲପା ପଟେଲ କହିଛନ୍ତି ।
ପ୍ରାୟ ୧୦ ବର୍ଷ ପୂର୍ବେ ସେମାନଙ୍କର ମା’ଙ୍କର ମୃତ୍ୟୁ ଘଟିଥିଲା । ଏହାପରେ କୌଣସି କାରଣରୁ ଅମ୍ରିଶ, ଭବେଶ ଓ ତାଙ୍କ ଭଉଣୀ ମେଘା ଗୋଟିଏ ଘରେ ନିଜକୁ କଏଦ କରି ନେଇଥିଲେ । ରବିବାର ସନ୍ଧ୍ୟାରେ ଯେତେବେଳେ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ କବାଟ ଭାଙ୍ଗି ଘର ଭିତରେ ପଶିଲେ ସେତେଳେ ଘର ଭିତରେ ମଳ ଗନ୍ଧରେ ନାକ ରୁନ୍ଧି ହୋଇ ଯାଉଥିଲା । ବାସୀ ଖାଦ୍ୟ ଓ ପୁରୁଣା ଖବରକାଗଜ ଘର ସାରା ବିଛାଡ଼ି ହୋଇ ପଡ଼ିଥିଲା । ଅମ୍ରିଶ ଓ ଭବେଶଙ୍କ ଦାଢ଼ି ଲମ୍ବି ସନ୍ୟାସୀଙ୍କ ପରି ହୋଇ ଯାଇଥିଲା ଓ ମେଘାଙ୍କ ବାଳ ଜଟ ହୋଇ ଯାଇଥିଲା ।
ତିନିଜଣଙ୍କୁ ମୁକ୍ତ କରିଥିବା ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଜଲପା ପଟେଲ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ଯେତେବେଳେ ତାଙ୍କ ସଂଗଠନର ସଦସ୍ୟମାନେ ରୁମର କବାଟ ଭାଙ୍ଗିଥିଲେ ସେତେବେଳେ ସେମାନେ ଦେଖିଲେ ଯେ ଘର ଭିତରେ ଆଦୌ ଆଲୋକ ନାହିଁ ଏବଂ ଏଥିରୁ ବାସୀ ଖାଦ୍ୟର ଗନ୍ଧ ଓ ମଳ ଗନ୍ଧରେ ନାକ ପାଟି ପଡ଼ୁଥିଲା ।
ଜଲପା ପଟେଲ କହିଛନ୍ତି ଯେ ଅମ୍ରିଶ ଏବଂ ଭବେଶ ଏବଂ ସେମାନଙ୍କ ଭଉଣୀ ମେଘନା ପ୍ରାୟ ୧୦ ବର୍ଷ ପୂର୍ବେ ଏକ କୋଠରୀରୁ ବାହାରୁ ନ ଥିବା ନେଇ ତାଙ୍କ ବାପା ସୂଚନା ଦେଇଥିଲେ । ସେମାନଙ୍କର ଅବସ୍ଥା ଅତି ଖରାପ ହୋଇ ଯାଇଥିବା ଯୋଗୁଁ ତାଙ୍କର ବାପା ସ୍ବେଚ୍ଛାସେବୀ ସଂଗଠନର ସହାୟତା ନେଇଥିଲେ । ସେମାନେ ଏତେ ଦୁର୍ବଳ ଥିଲେ ଯେ କଥା ମଧ୍ୟ ଠିକ୍ କହି ପାରୁ ନ ଥିଲେ କିମ୍ବା ଠିଆ ହୋଇ ପାରୁ ନ ଥିଲେ ।
No comments:
Post a Comment